ମୁମ୍ଵାଇ ୩୧।୧୨; ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାକୁ ନେଇ ବହୁ ବିବାଦ ଦେଖା ଦେଇଛି । ସାରା ଦେଶରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପ୍ରସଙ୍ଗରେ ବିଭିନ୍ନ ରାଜନେତା ଓ ଅଭିନେତାମାନେ ନିଜ ନିଜ ପ୍ରତିକ୍ରିୟା ରଖୁଛନ୍ତି। ହେଲେ ଅଭିନେତାରୁ ନେତା ପାଲଟିଥିବା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତାମତ ରଖିଛନ୍ତି। ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ସେ ଉଚିତ ବୋଲି ଦର୍ଶାଇଛନ୍ତି। ଯାହା ଏବେ ଆଲୋଚନାର ବିଷୟ ପାଲଟିଛି।
ଏହା ଉପରେ ପ୍ରତିକ୍ରିୟା ରଖି ପୱନ କଲ୍ୟାଣ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ କାର୍ଯ୍ୟ କରିବା ଉଚିତ। କେବଳ ସେତିକି ନୁହେଁ, ଜନସେନା ପାର୍ଟି ଅଧ୍ୟକ୍ଷ ତଥା ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ବରିଷ୍ଠ ସଦସ୍ୟ ପୱନ କଲ୍ୟାଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ପ୍ରଶଂସା କରିଛନ୍ତି। ରେବନ୍ତ ଜଣେ ମହାନ ନେତା ବୋଲି କହିଛନ୍ତି ପୱନ। ସେ ଅଲ୍ଲୁ ଅର୍ଜୁନଙ୍କୁ ମଧ୍ୟ କହିଛନ୍ତି ଯେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ସେ ପ୍ରଥମେ ଭେଟିବା ଉଚିତ୍ ଥିଲା।
ସୋମବାର ମଙ୍ଗଳାଗିରିରେ ସାମ୍ବାଦିକମାନଙ୍କ ସହ ଏକ ଅନୌପଚାରିକ ବାର୍ତ୍ତାଳାପରେ ଅଭିନେତା ତଥା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ ଦଳାଚକଟା ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଛନ୍ତି ଯେ ପୋଲିସ ଅଧିକାରୀଙ୍କ ପାଇଁ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ଜରୁରୀ । ଆଇନ ସମସ୍ତଙ୍କ ପାଇଁ ସମାନ। ଏଭଳି ଘଟଣାରେ ପୋଲିସ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିଥାଏ। ତେବେ ଥିଏଟର କର୍ମଚାରୀମାନେ ଅଲୁ ଅର୍ଜୁନଙ୍କ ଆସିବା ବିଷୟରେ ଆଗରୁ ପୋଲିସକୁ ଜଣାଇବା ଉଚିତ୍ ଥିଲା। ସେମାନେ ଦାୟିତ୍ୱହୀନ ଭାବେ ବସି ପଡ଼ିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା ।